Breaking PLUSଓଡ଼ିଶାମୁଖ୍ୟ ଖବର

ବିବାହ ମଣ୍ଡପ ନିମନ୍ତେ ନୂଆ ଏସ୍‌ଓପି ଜାରି କଲା ବିଏମସି

ଆଗକୁ ଆସୁଛି ଶୀତ ଋତୁ । ବିବାହ ତିଥି ବି ଅଛି। ଏହି ସମୟରେ ବିବାହ ଉତ୍ସବ ପାଇଁ ସହରରେ ଭିଡ଼ ଜମିବ। ତେବେ କରୋନାର ଦ୍ୱିତୀୟ ଲହରୀ ଆଶଙ୍କାରେ ବିଏମ୍‌ସି ବିବାହ ଉତ୍ସବ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛି। ରାଜଧାନୀରେ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମରେ ୧୦୦ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି।

ଆଗକୁ ଆସୁଛି ଶୀତ ଋତୁ । ବିବାହ ତିଥି ବି ଅଛି। ଏହି ସମୟରେ ବିବାହ ଉତ୍ସବ ପାଇଁ ସହରରେ ଭିଡ଼ ଜମିବ। ତେବେ କରୋନାର ଦ୍ୱିତୀୟ ଲହରୀ ଆଶଙ୍କାରେ ବିଏମ୍‌ସି ବିବାହ ଉତ୍ସବ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛି। ରାଜଧାନୀରେ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମରେ ୧୦୦ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି। ଗତ ୬ ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନର ବିବାହରେ ୨୦୦ ଲୋକ ଏକାଠି ହେବାକୁ ଅନୁମତି ଦେଇଥିଲେ। କିନ୍ତୁ ରାଜଧାନୀରେ ସର୍ବାଧିକ ୧୦୦ ଲୋକ ଏକାଠି ହୋଇପାରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ବିବାହ ଆୟୋଜନ ସହ କଲ୍ୟାଣ ମଣ୍ଡପ, କନଭେନ୍‌ସନ ହଲ୍‌ ଓ ମ୍ୟାରେଜ୍‌ ହଲ୍‌ ପାଇଁ ବିଏମ୍‌ସି ବିସ୍ତୃତ ଗାଇଡଲାଇନ୍‌ ଆଣିଛି। ବିବାହ ମଣ୍ଡପରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥାନୀୟ ପୁଲିସ ଥାନା ଓ ବିଏମ୍‌ସିରୁ ଅନୁମତି ନେବାକୁ ପଡ଼ିବ। ସମସ୍ତ ବିବାହ ଶୋଭାଯାତ୍ରାକୁ ନିଷିଦ୍ଧ ଘୋଷଣା କରାଯାଇଛି। ଫ୍ଲୁ ଲକ୍ଷଣ ଥିବା ଲୋକଙ୍କୁ ବିବାହ ହଲ୍‌କୁ ପ୍ରବେଶ କରାଯିବନି। ଅନ୍ତିମ ସଂସ୍କାର ସମୟରେ ମଧ୍ୟ ଏଭଳି ଲୋକ ସାମିଲ ନ ହେବାକୁ କୁହାଯାଇଛି।

ସେହିଭଳି ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍‌ ଶିଶୁଙ୍କ ସମେତ ଗୁରୁତର ରୋଗରେ ଆକ୍ରାନ୍ତ ରୋଗୀ ଏହି କାର୍ଯ୍ୟକ୍ରମକୁ ଆସିବେନି। କାର୍ଯ୍ୟକ୍ରମ ଆୟୋଜନର ପ୍ରବେଶ ପଥରେ ସମସ୍ତ ଆଗନ୍ତୁକଙ୍କ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ରଖାଯିବ। ଉତ୍ସବରେ ସମସ୍ତଙ୍କ ଭିତରେ ୬ଫୁଟ ବ୍ୟବଧାନ ରହିବ। ଖାଇବା ସମୟକୁ ଛାଡ଼ି ବାକି ସମୟରେ ସମସ୍ତେ ବାଧ୍ୟମୂଳକ ଭାବେ ମାସ୍କ ପିନ୍ଧିବେ। ଏହା ପରିସରରେ ପାନ, ଗୁଟ୍‌ଖା ଖାଇପାରିବେନି। ଉତ୍ସବ ସ୍ଥାନରେ ହାତ ସଫା ପାଇଁ ବ୍ୟବସ୍ଥା ସହ ହ୍ୟାଣ୍ଡ୍‌ ସାନିଟାଇଜର ରହିବ।

ବିବାହ ଉତ୍ସବ ସ୍ଥାନରେ ପରସ୍ପର ଭିତରେ ୬ ଫୁଟ୍‌ ବ୍ୟବଧାନ ରଖି ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ବନ୍ଦ ହଲ୍‌ ଥିବା ସ୍ଥାନରେ ଏହାର କ୍ଷମତାର ୫୦ପ୍ରତିଶତ ବ୍ୟବହାର ପାଇଁ ଅନୁମତି ଦିଆଯିବ। ଖୋଲା ହଲ୍‌ ପାଇଁ ଏହି ନିୟମ ଲାଗୁ ହେବନି। ବିବାହ ଆୟୋଜନକାରୀ ଓ ମଣ୍ଡପ ମାଲିକ ସମସ୍ତ ନିୟମ ଉଲଙ୍ଘନ ପାଇଁ ଦାୟୀ ରହିବେ। ଉତ୍ସବ ହେବାର ୭ ଦିନ ପୂର୍ବରୁ ବିବାହ ମଣ୍ଡପ ମାଲିକ ବିଏମ୍‌ସିକୁ ଉତ୍ସବ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବେ। ବିବାହକୁ କେତେ ଲୋକ ଆସିବେ ଓ ଆୟୋଜନକାରୀଙ୍କ ନାମ ଏଥିରେ ଉଲ୍ଲେଖ କରିବେ। ଏହି ଗାଇଡଲାଇନ୍‌ ପାଳନ ହେଉଛି କି ନା, ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ଓ ପୁଲିସ ଏହାକୁ ଯାଞ୍ଚ କରିବେ।

Show More

Related Articles

Back to top button