Breaking PLUSଦେଶମୁଖ୍ୟ ଖବର

ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ଦ୍ୱପାକ୍ଷିକ ବୈଠକ ଅନୁଷ୍ଠିତ

କରୋନାର ଚ୍ୟାଲେଞ୍ଜ ସତ୍ୱେ ଋଷ ଏବଂ ଭାରତ ସମ୍ପର୍କର ଅଭିବୃଦ୍ଧିରେ କୌଣସି ପରିବର୍ତ୍ତନ ଆସିବ ନାହିଁ- ପ୍ରଧାନମନ୍ତ୍ରୀ

ଦିନିକିଆ ଭାରତ ଗସ୍ତରେ ଆସିଥିବା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ କରିଛନ୍ତି । ପୁଟିନ ବିମାନ ବନ୍ଦରରେ ପହଞ୍ଚିବା ପରେ ଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଥିଲେ । ଉଭୟ ପ୍ରଧାନ ନେତା ମିଡିଆ ସାମ୍ନାରେ ନିଜ ନିଜର ବକ୍ତବ୍ୟ ରଖିଛନ୍ତି ।

ହେଲେ ସବୁଥର ପରି ଏଥର ବି ଭାରତ ଋଷିଆ ମଧ୍ୟରେ ଥିବା ବନ୍ଧୁତ୍ୱ ସମ୍ପର୍କର ଝଲକ ଦେଖିବାକୁ ମିଳିଥିଲା । ଭାରତ ପ୍ରତି ଋଷ ରାଷ୍ଟ୍ରପତି ପୁଟିନଙ୍କ ସଦ୍‌ଭାବନା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ଭଲପାଇବା ଦେଖାଇଥିଲେ । ଉଭୟ ନେତାଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ବିଗତ ୧୦ ବର୍ଷରେ ସାରା ବିଶ୍ୱରେ ବଡ଼ ବଡ଼ ମୂଳ ପରିବର୍ତ୍ତନ ଘଟିଛି । ଅନେକ ଭୂରାଜନୈତିକ ପରିବର୍ତ୍ତନ ହୋଇଛି । କିନ୍ତୁ ଭାରତ ଓ ଋଷର ବନ୍ଧୁତ୍ୱ ଯେମିତି ଥିଲା ସେମିତି ରହିଛି ।

ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଓ ଋଷ ମଧ୍ୟରେ ଥିବା ସମ୍ପର୍କ ନିଆରା, ଓ ଏହା ଭରସାର ନିଅଁ ଉପରେ ଛିଡ଼ା ହୋଇଛି । କରୋନା ସମୟରେ ବିଶ୍ୱରେ ଅନେକ ଚ୍ୟାଲେଞ୍ଜ ଆସିଥିଲେ ବି ଭାରତ-ଋଷ ମଧ୍ୟରେ ସମ୍ପର୍କ ଯେମିତିକୁ ସେମିତି ରହିଛି । ରଣନୈତିକ କ୍ଷେତ୍ରରେ ଆମର ବନ୍ଧୁତ୍ୱ ଲଗାତର ବଢ଼ିବାରେ ଲାଗିଛି ବୋଲି ମୋଦି କହିଛନ୍ତି ।

ପୁଟିନ୍ ମଧ୍ୟ ଭାରତ ପ୍ରତି ଥିବା ତାଙ୍କ ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ପ୍ରକାଶ କରିଥିଲେ । ଭାରତ ସବୁଠାର ଭରସା ଯୋଗ୍ୟ ବନ୍ଧୁ ବୋଲି ପୁଟିନ କହିଥିଲେ । ସେ କହିଥିଲେ ଯେ ଆମେ ଭାରତକୁ ଏକ ବିଶାଳ ଶକ୍ତି, ବନ୍ଧୁ ରାଷ୍ଟ୍ର ଓ ଭରସାଯୋଗ୍ୟ ସାଥି ରୂପରେ ଦେଖୁ । ଦୁଇ ଦେଶର ବନ୍ଧୁତ୍ୱ ଲଗାତର ମଜଭୁତ ହେବାରେ ଲାଗିଥିବା ବେଳେ ଭବିଷ୍ୟତ ଉପରେ ବି ନଜର ରହିଛି ।

ସେହିପରି ଦୁଇ ରାଷ୍ଟ୍ର ମଧ୍ୟରେ ଚାଲିଥିବା ବ୍ୟବସାୟିକ କାରବାର ସମ୍ପର୍କରେ ପୁଟିନ କହିଛନ୍ତି ଯେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ୩୮ ଅରବ ଡଲାର ବ୍ୟବସାୟ ଚାଲିଛି । ଏହା ବାଦ୍ ପ୍ରତିରକ୍ଷା ଓ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ବଡ଼ ସହଯୋଗୀ ହୋଇ କାମ କରୁଛୁ ବୋଲି ପୁଟିନ କହିଛନ୍ତି । କେବଳ ସେତିକି ନୁହେଁ ଆତଙ୍କବାଦ ବିରୋଧରେ ଋଷିଆ ଭାରତରେ ସହଯୋଗ କରିବ ବୋଲି ମଧ୍ୟ ପୁଟିନ କହିଛନ୍ତି ।

Show More

Related Articles

Back to top button