Breaking PLUSଓଡ଼ିଶାମୁଖ୍ୟ ଖବର

ଦୀର୍ଘ ୨୨ ବର୍ଷ ପରେ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଦୀର୍ଘ ୨୨ ବର୍ଷ ପରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ବାଳକୁ ପୁଲିସ ଗିରଫ କରିଛି। ମୁମ୍ବାଇ-ପୁଣେ ରାସ୍ତାରେ ଲୋନାଵାଲାରେ ଥିବା ଆମ୍ବି ଭ୍ୟାଲିରେ ପାଣି ପାଇପ୍‌ ମିସ୍ତ୍ରି ଭାବେ ଛଦ୍ମନାମରେ କାମ କରୁଥିବା ବିବନକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି

ଦୀର୍ଘ ୨୨ ବର୍ଷ ପରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ବାଳକୁ ପୁଲିସ ଗିରଫ କରିଛି। ମୁମ୍ବାଇ-ପୁଣେ ରାସ୍ତାରେ ଲୋନାଵାଲାରେ ଥିବା ଆମ୍ବି ଭ୍ୟାଲିରେ ପାଣି ପାଇପ୍‌ ମିସ୍ତ୍ରି ଭାବେ ଛଦ୍ମନାମରେ କାମ କରୁଥିବା ବିବନକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ବିବନ ସେଠାରେ ଜଳନ୍ଧର ସ୍ବାଇଁ ନାମରେ ରହି ଆସିଥିବା ପୁଲିସ ସୂଚନା ଦେଇଛି। ଏହି ମାମଲାର ତଦନ୍ତ କୋଲକାତାସ୍ଥିତ ସିବିଆଇର ସ୍ବତନ୍ତ୍ର କ୍ରାଇମ୍‌ ୟୁନିଟ୍‌ କରୁଥିବା ବେଳେ କମିସନରେଟ୍‌ ପୁଲିସ ବିବନକୁ ସିବିଆଇ ଜିମା ଦେଇଛି। ସିବିଆଇ ପକ୍ଷରୁ ବିବନକୁ ଭୁବନେଶ୍ବର ସିବିଆଇ କୋର୍ଟରେ ହାଜର କରାଯାଇଛି।

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ମୋଟ ୩ ଜଣ ଅଭିଯୁକ୍ତ ଥିବା ବେଳେ ୨ ଜଣଙ୍କୁ ପୂର୍ବରୁ ଗିରଫ କରାଯିବା ସହିତ ଅଦାଲତରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଅଭିଯୁକ୍ତ ଟୁନିଆ ଓରଫ ଧୀରେନ୍ଦ୍ର ମହାନ୍ତି ଏବେ ଚୌଦ୍ବାର ଜେଲରେ ସଜା କାଟୁଥିବା ବେଳେ ପଦିଆ ‌ଓରଫ ପ୍ରଦୀପ ସାହୁର ମୃତ୍ୟୁ ଘଟିଛି। କିନ୍ତୁ ଘଟଣା ପରଠାରୁ ଫେରାର ଥିବା ବିବନକୁ ସିବିଆଇ ବି ଗିରଫ କରିବାରେ ବିଫଳ ହୋଇଥିଲା। ୩ ମାସ ପୂର୍ବରୁ ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ଅପରେସନ ‘ସାଇଲେଣ୍ଟ୍ ଭାଇପର୍’ (ନିରବ ବୋଡ଼ା ସାପ) ଆରମ୍ଭ ହେବା ସହିତ ଅଭିଯୁକ୍ତକୁ ଗିରଫ କରାଯାଇ ପାରିଛି। କଟକ ଡିସିପି ପ୍ରତୀକ ସିଂହ, ଏଡିସିପି ପ୍ରମୋଦ ରଥ, ସ୍ପେଶାଲ୍ ସ୍କ୍ବାଡ୍ ଆଇଆଇସି ଅଜୟ ଦାସ, ବାରଙ୍ଗ ଥାନା ଆଇଆଇସି ଶଶୀକାନ୍ତ ରାଉତଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍ ଏହି ମାମଲାର ତଦନ୍ତ କରି ୩ ମାସ ଭିତରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇପାରିଛନ୍ତି ବୋଲି ଡକ୍ଟର ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପୁଲିସ କମିସନର ଡକ୍ଟର ଷଡ଼ଙ୍ଗୀ କହିବା ଅନୁଯାୟୀ ଅଭିଯୁକ୍ତ ଟୁନିଆକୁ କିଛି ମାସ ତଳେ ସେ ଚୌଦ୍ବାର ଜେଲ୍‌ରେ ଦେଖିବା ପରେ ଏହି ଘଟଣାରେ ଫେରାର ଥିବା ବିବନକୁ ଧରିବା ଚିନ୍ତା ତାଙ୍କ ମୁଣ୍ଡରେ ଢୁକି ଥିଲା। ପୀଡ଼ିତାଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ସେ ‘ସାଇଲେଣ୍ଟ ଭାଇପର‌୍‌’ ନାମରେ ଏକ ଅପରେସନ୍‌ ଆରମ୍ଭ କରିବା ସହିତ ୪ ଜଣ ଅଧିକାରୀଙ୍କୁ ନେଇ ଟିମ୍ ଗଠନ କରିଥିଲେ। ନରଣପୁରରେ ରହୁଥିବା ବିବନର ପରିବାର ଓ ଆଖପାଖ ଅଞ୍ଚଳରୁ ତଦନ୍ତ ଆଉ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଥିଲା। ବିବନ ସଂପର୍କରେ କୌଣସି ସୂଚନା ମିଳି ନଥିଲେ ବି ବ୍ୟାଙ୍କ କାରବାର ଇତ୍ୟାଦିରୁ ଜଳନ୍ଧର ସ୍ବାଇଁର ନାମ ସାମ୍‌ନାକୁ ଆସିଥିଲା। କିନ୍ତୁ ଜଳନ୍ଧର ସ୍ବାଇଁ ନାମରେ ଆଧାର କାର୍ଡ, ପାନ୍‌ କାର୍ଡ ଏବ˚ ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲା ଯାଇଥିବା ବେଳେ ଠିକଣା ଥିଲା ନରଣପୁର। କିନ୍ତୁ ନରଣପୁରରେ ସେଭଳି ନାମରେ କୌଣସି ବ୍ୟକ୍ତି ନଥିବା ସ୍ପଷ୍ଟ ହେବା ‌ପରେ ପୁଲିସର ସନ୍ଦେହ ବଢିଥିଲା। ଏଭଳି ତଥ୍ୟ ପ୍ରମାଣ ଆଧାରରେ ଗଲା ୧୮ ତାରିଖରେ ବାଦାମବାଡ଼ି ଆଇଆଇସି ରଶ୍ମି ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍‌ ମୁମ୍ବାଇ ଯାଇଥିଲା। ନଭି ମୁମ୍ବାଇର ପୁଲିସ କମିସନର ବିପିନ୍‌ ସି˚ହ ସହାୟତା ଯୋଗାଇଥିଲେ। ସେଠାକାର ଡିସିପି(ସିଆଇଡି) ପ୍ରବୀଣ କୁମାର ପାଟିଲଙ୍କ ନେତୃତ୍ବରେ ଏକ ମିଳିତ ଦଳ ଅପରେସନ ଆରମ୍ଭ କରିଥିଲା। ଆମ୍ବି ଭ୍ୟାଲିରେ ପ୍ରାୟ ୧୪ ହଜାର କର୍ମଚାରୀ କାମ କରୁଥିବା ଜଣାପଡ଼ିଥିଲା। ପୁଣେ ଗ୍ରାମାଞ୍ଚଳ ଜିଲ୍ଲାର ଏସପି ଡକ୍ଟର ରବିନାଥ ଦେଶମୁଖ ଓ ଏଏସ୍‌ପି ନବନିତ୍‌ କନଵଲ ସହଯୋଗରେ ‘ସ୍ବାଇଁ ‘ ନାଁରେ ଥିବା ଉକ୍ତ କର୍ମଚାରୀଙ୍କୁ ଖୋଜା ଚାଲିଲା। ଆମ୍ବି ଭ୍ୟାଲରୁ ଅଢେ଼ଇ କିଲୋମିଟର ଦୂରରେ ସେ ରହୁଥିବା ଅଞ୍ଚଳରେ ପୁଲିସ ଟିମ୍‌ ସାଦା ପୋଷାକରେ ପହଞ୍ଚିଥିଲେ। ପୁଲିସକୁ ଦେଖି ବିବନ ଦୌଡ଼ିବାକୁ ଉଦ୍ୟମ କରିଥିଲା। କିନ୍ତୁ ପୁଲିସ ତାକୁ କାବୁ କରିବାରେ ସଫଳ ହୋଇଥିଲା। ପ୍ରକୃତରେ ଜଳନ୍ଧର ସ୍ବାଇଁ ହିଁ ବିବନ ବିଶ୍ବାଳ ବୋଲି ସାକ୍ଷୀମାନେ ଚିହ୍ନଟ କରିଛନ୍ତି। ୨୦୦୭ରୁ ସେ ଆମ୍ବି ଭ୍ୟାଲିରେ ରହି ଆସିଥିଲା। ମଝିରେ ମଝିରେ ଯଦିଓ ଓଡ଼ିଶା ଆସୁଥିଲା, କିନ୍ତୁ ଆମ୍ବି ଭ୍ୟାଲିରେ ସ୍ଥାୟୀ ବାସିନ୍ଦା ହୋଇଯାଇଥିଲା। ଘଟଣା ଘଟାଇବା ପରେ ବିବନ ବାରଙ୍ଗରୁ କଟକ ଆସି ପରେ ମୁମ୍ବାଇ ଓ ପୁଣେକୁ ଯାଇ ସେଠାରେ ରହିବା ଆରମ୍ଭ କରିଥିଲା ବୋଲି ପୁଲିସକୁ ଜେରାବେଳେ ସୂଚନା ଦେଇଛି।

ଏହି ସଫଳତାକୁ ନେଇ ପୁଲିସ କମିସନର ଡକ୍ଟର ସୁଧା˚ଶୁ ଷଢ଼ଙ୍ଗୀ କହିଛନ୍ତି ଯେ ଯାହା ସିବିଆଇ କରିପାରି ନ ଥିଲା, ତାହା ଆମ ଅଫିସରମାନେ କରିଛନ୍ତି। ଏ ଖବର ସିବିଆଇକୁ ଦିଆଯିବା ପରେ କୋଲକାତାରୁ ତଦନ୍ତକାରୀ ଅଧିକାରୀ ପହଞ୍ଚିଛନ୍ତି। ପରବର୍ତ୍ତୀ ତଦନ୍ତ ସେମାନେ କରୁଛନ୍ତି। ସେମାନେ ଯାହା ପୁରସ୍କାର ରାଶି ଘୋଷଣା କରିଛନ୍ତି, ତାହା ଆମ ପୁଲିସ ଟିମ୍‌କୁ ଦେବା ପାଇଁ ସିବିଆଇକୁ ଲେଖିବୁ। ବର୍ତ୍ତମାନ ବିବନର ବିଚାର ହେବ। ଓଡ଼ିଶାର ଏକ କଳଙ୍କିତ ଅପରାଧର ଶେଷ ଫର୍ଦ୍ଦ ଲେଖା ହେବ। ଆଶା କରିବୁ ପୀଡ଼ିତାଙ୍କୁ ନ୍ୟାୟ ମିଳିବ। ସିବିଆଇ କୋର୍ଟରେ ଆଜି ଵାରେଣ୍ଟ ବଳରେ ବିବନକୁ ହାଜର କରାଯିବ। ବିବନର ପାନ୍‌ କାର୍ଡ ସମେତ ସମସ୍ତ କାଗଜପତ୍ର କୋର୍ଟରେ ଉପସ୍ଥାପନ କରାଯିବ। ବିବନର ନାଁ ପରିବର୍ତ୍ତନରେ ଯେଉଁମାନେ ସହଯୋଗ କରିଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ସାକ୍ଷୀ ହେବେ ବୋଲି ଡକ୍ଟର ଷଢ଼ଙ୍ଗୀ କହିଛନ୍ତି।

ଏହି ବହୁଚର୍ଚ୍ଚିତ ଘଟଣାର ଘଟଣାକ୍ରମ ଥିଲା ଏହି ଭଳି। ଜଣେ ବରିଷ୍ଠ ଆଇଏଫ୍‌ଏସ୍‌ ଅଫିସର ସୁବାସ ମିଶ୍ରଙ୍କ ପତ୍ନୀ ଅଞ୍ଜନା ମିଶ୍ର ତାଙ୍କର ଜଣେ ସାମ୍ବାଦିକ ବନ୍ଧୁ ସୁତନୁ ଗୁରୁଙ୍କ ସହିତ ୧୯୯୯ ଜାନୁଆରି ୯ ତାରିଖ ରାତିରେ ବାରଙ୍ଗ ରାସ୍ତାରେ କଟକ ଆସୁଥିଲେ। ସେମାନେ ଗୋଟିଏ ଢାବାରେ ଅଟକି ଚା ପିଇଥିଲେ। ସେଠାରେ ଥିବା ବିବନ ସମେତ ଚାଉଳିଆଗଞ୍ଜ ନୂଆବଜାରର ପଦିଆ ଓରଫ ପ୍ରଦୀପ କୁମାର ସାହୁ, କଟକ ସଦର ଥାନା ଶ୍ୟାମସୁନ୍ଦରପୁର ଅଞ୍ଚଳର ଧୀରେନ୍ଦ୍ର ମହାନ୍ତି ସେମାନଙ୍କ ଉପରେ ନଜର ରଖିଥିଲେ। ଅଞ୍ଜନା ଓ ତାଙ୍କ ବନ୍ଧୁ କାରରେ ଭୁବନେଶ୍ବର ଫେରୁଥିବା ବେଳେ ତାଙ୍କ କାର‌୍‌କୁ ଉପରୋକ୍ତ ତିନି ଜଣ ନରଣପୁର ନିକଟରେ ଅଟକାଇଥିଲେ। ଏବ˚ କାର‌୍‌କୁ ଅପହରଣ କରିନେଇଥିଲେ। ଏହି ତିନି ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ କାର‌୍‌ ଚଲାଇଥିଲା। ସେମାନେ ଆଣିଥିବା ସ୍କୁଟରରେ କାରର ଡ୍ରାଇଭରଙ୍କୁ ନେଇଯାଇଥିଲେ। ବେଲ‌େଗୋଛିଆ ନିକଟରେ ଏକ ଶୂନଶାନ ସ୍ଥାନରେ ଅଞ୍ଜନାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଜଣେ ଅଭିଯୁକ୍ତ ଭାଲୁଙ୍କା ଜ˚ଗଲକୁ ନେଇ ପୁଣି ତାଙ୍କୁ ଦୁଷ୍କର୍ମ କରିଥିଲା। ପ୍ରାୟ ୪ ଘଣ୍ଟା କାଳ ଅପରାଧୀମାନେ ଏଭଳି ଜଘନ୍ୟ କାଣ୍ତ ଘଟାଇଥିଲେ। ସାରାରାଜ୍ୟରେ ଏହି ଘଟଣା ସେତେବେଳେ ଚହଳ ସୃଷ୍ଟି କରିଥିଲା।

ଏ ସ˚କ୍ରାନ୍ତରେ କଟକ ମହିଳା ଥାନାରେ ୧୯୯୯, ଜାନୁଆରି ୧୦ ତାରିଖରେ ଏକ ମାମଲା(କେସ୍‌ ନ˚ ୩) ରୁଜୁ ହୋଇଥିଲା। ୧୨ ତାରିଖରେ ରାଜ୍ୟ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଦାୟିତ୍ବ ଗ୍ରହଣ କରିଥିଲା। ଅପରାଧରେ ବ୍ୟବହୃତ ସ୍କୁଟର ପ୍ରଥମେ କ୍ରାଇମବ୍ରାଞ୍ଚ ଜବତ କରିଥିଲା। ଜାନୁଆରି ୨୬ ତାରିଖରେ ପ୍ରଦୀପ ସାହୁ ଓରଫ ପଦିଆ ଓ ଧୀରେନ୍ଦ୍ର ମହାନ୍ତି ଓରଫ ଟୁନିଆକୁ ଗିରଫ କରାଯାଇଥିଲା। ଫେବ୍ରୁଆରି ୨୬ ତାରିଖରେ ହାଇକୋର୍ଟ ସିବିଆଇକୁ ଘଟଣାର ତଦନ୍ତ ଦାୟିତ୍ବ ଦେଇଥିଲେ। ପଦିଆ, ଧୀରେନ୍ଦ୍ର ଓ ବିବନ ବିରୋଧରେ ସିବିଆଇ ମେ ୫ ତାରିଖରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଏହି ମାମଲାର ବିଚାର ଭୁବନେଶ୍ବରର ତତ୍କାଳୀନ ଜିଲ୍ଲା ଜଜ୍‌ ମହେନ୍ଦ୍ର ପଟ୍ଟନାୟକଙ୍କ ଅଦାଲତରେ ହୋଇଥିଲେ। ୨୦୦୨, ଏପ୍ରିଲ ୨୯ ତାରିଖରେ ରାୟ ପ୍ରକାଶ। ଜିଲ୍ଲା ଜଜ୍‌ ପଦିଆ ଓ ଟୁନିଆକୁ ଆଇପିସିର ଧାରା ୩୪୨, ୩୬୬, ୩୭୨(୨)(ଜି), ୩୯୪ରେ ଆଜୀବନ କାରାଦଣ୍ତାଦେଶ ଶୁଣାଇଥିଲେ। ଉଭୟ ଅଭିଯୁକ୍ତ ଏଭଳି ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ୍‌ ଏ.ଏସ୍‌ ନାଇଡୁ ଓ ଜଷ୍ଟିସ ସୁବାସ ଚନ୍ଦ୍ର ପରିଜା ମାମଲାର ଶୁଣାଣି କରି ଜିଲ୍ଲା ଜଜ୍‌ଙ୍କ ରାୟକୁ କାଏମ୍‌ କରିଥିଲେ। ୨୦୧୦ ଜୁନ୍‌ ୨୪ ତାରିଖରେ ହାଇକୋର୍ଟ ତାଙ୍କ ଆଦେଶ ଶୁଣାଇ ଥିଲେ। ହାଇକୋର୍ଟ ତାଙ୍କ ରାୟର ୨୩ ପାରାରେ ଅବସୋସ ବ୍ୟକ୍ତ କରିଥିଲେ ଯେ ଏହି ଘଟଣାର ଅନେକ ଦିନ ଘଟିଯାଇଥିଲେ ବି ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ପୁଲିସ ଧରିପାରିଲା ନାହିଁ। ପରବର୍ତ୍ତୀ ସମୟରେ ୨୦୨୦ ଫେବ୍ରୁଆରି ୨୦ ତାରିଖରେ ଝାରପଡ଼ା ଜେଲରେ ଥିବା ପଦିଆର ମୃତ୍ୟୁ ହୋଇଥିଲା।

Show More

Related Articles

Back to top button