ବାଣିଜ୍ୟ

ପୁଣି ଆକାଶ ଛୁଇଁବ ସୁନା ଦର !

ପ୍ରତି ୧୦ ଗ୍ରାମ ଲାଗି ଗ୍ରାହକଙ୍କୁ ଦେବାକୁ ପଡିପାରେ ୯୦ ହଜାର ଟଙ୍କା

ଏମସିଏକ୍ସରେ ମଙ୍ଗଳବାର ପ୍ରତି ୧୦ ଗ୍ରାମ ସୁନା ଦର ୪୭ ହଜାର ୮୦୦ ଟଙ୍କାରେ କାରବାର ହୋଇଛି। ବର୍ଷକ ପୂର୍ବେ ଅର୍ଥାତ ୭ ଅଗଷ୍ଟ ୨୦୨୦ରେ ପ୍ରତି ୧୦ ଗ୍ରାମ ସୁନା ଲାଗି ଗ୍ରାହକଙ୍କୁ ୫୬ ହଜାର ୨୦୦ ଟଙ୍କା ଦେବାକୁ ପଡୁଥିଲା। ଏହା ଥିଲା ଏପର୍ଯ୍ୟନ୍ତ ସୁନାର ସର୍ବୋଚ୍ଚ ଦର। ତେବେ ତା ପରଠାରୁ ଲଗାତାର ସୁନା ମୂଲ୍ୟ ହ୍ରାସ ହୋଇ ଚାଲିଥିବା ବେଳେ ୮ ହଜାର ୪୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ହେଲାଣି। ତେବେ ସୁନା ବଜାରରେ ପୁଣି ଚମକ ଫେରିବ । ଏକ ପ୍ରତିଷ୍ଠିତ ବଡ ଫଣ୍ଡ ମ୍ୟାନେଜର ଏହି ପୂର୍ବାନୁମାନ କରିଛନ୍ତି। ଯେତେବେଳେ ପ୍ରତି ୧୦ ଗ୍ରାମ ସ୍ୱର୍ଣ୍ଣାଳଙ୍କାର ଲାଗି ଗ୍ରାହକଙ୍କୁ ୯୦ ହଜାର ଟଙ୍କା ପଡିପାରେ ବୋଲି ଆକଳନ କରଯାଇଛି।ସ୍ୱର୍ଣ୍ଣାଳଙ୍କାର ବଜାରର ଏପରି ପୂର୍ବାନୁମାନ କରିଛନ୍ତି ଡିଏଗୋ ପାରିଲ୍ଲା। ପାରିଲ୍ଲାଙ୍କ କ୍ୱାଡ୍ରିଗା ଇଗ୍ନୌ ଫଣ୍ଡ ପ୍ରାୟ ୨୫ ନିୟୁତ ଫଣ୍ଡର ପରିଚାଳନା କରୁଛି। ଅତୀତରେ ମଧ୍ୟ ଡିଏଗୋ ସୁନା ଦର ରେକର୍ଡ ଉଚ୍ଚତାକୁ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲେ ଓ ତାହା ଗତ ୭ ଅଗଷ୍ଟ ୨୦୨୦ରେ ପ୍ରମାଣିତ ମଧ୍ୟ ହୋଇଛି। ତେବେ ପ୍ରତି ୧୦ ଗ୍ରାମ ସ୍ୱର୍ଣ୍ଣାଳଙ୍କାରର ମୂଲ୍ୟ ୯୦ ହଜାର ପାଖାପାଖି ପହଞ୍ଚିବା ଲାଗି ଆଉ ୩ରୁ ୫ ବର୍ଷ ସମୟ ଲାଗିପାରେ ବୋଲି ଡିଏଗୋ ନୂଆ ପୂର୍ବାନୁମାନ କରିଛନ୍ତି। ଆଗାମୀ ୩ରୁ ୫ ବର୍ଷରେ ସୁନା ମୂଲ୍ୟ ଦ୍ୱିଗୁଣିତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ଅର୍ଥାତ ପ୍ରତି ଆଉନ୍ସ ସ୍ୱର୍ଣ୍ଣଳଙ୍କାର ମୂଲ୍ୟ ୩ରୁ ୫ ହଜାର ଡଲାରକୁ ପହଞ୍ଚିବ।

କୋଭିଡ ରିଲିଫ ପ୍ୟାକେଜ ଯୋଗୁ ବଢିବ ସୁନା ଦର
ଫଣ୍ଡମ୍ୟାନେଜରଙ୍କ ଅନୁସାରେ କୋଭିଡ-୧୯ ଯୋଗୁ ଅନେକ ଦେଶରେ ସରକାର ଏବେ ରିଲିଫ ପ୍ୟାକେଜ୍ ଘୋଷଣା କରୁଛନ୍ତି। ଫଳରେ ବିଭିନ୍ନ କେନ୍ଦ୍ରୀୟ ବ୍ୟାଙ୍କମାନଙ୍କ ଉପରେ ଚାପ ବଢିବଢି ଚାଲିଛି। ଏଣୁ ନିବେଶକମାନେ ସୁନା ଆଡକୁ ମୁହାଁଇଛନ୍ତି। ଖରାପ ମନିଟାରୀ ଓ ଫିସ୍କାଲ ପଲିସିରେ ଦୀର୍ଘକାଳୀକ କ୍ଷତିର ଆକଳନ ଏବେଠୁ କରାଯାଇପାରୁନି। ନିୟମିତ ସୁଧହାର ହ୍ରାସ ଯୋଗୁ ଏବେ ଆସେଟ୍‌ ବବଲ୍ ନିର୍ମିତ ହେବାରେ ଲାଗିଛି, ଯାହାକୁ ଭାଙ୍ଗିବା ଏତେ ସହଜ ହେବନି।
କେବଳ ଏତିକି ନୁହେଁ କୋଭିଡ ପରବର୍ତ୍ତି ପରିସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କମାନେ ପୁଣି ସ୍ୱଭାବିକ ପରିସ୍ଥିତିକୁ ଫେରିବା ମଧ୍ୟ ଏତ ସହଜ ହେବନି। ଏଣୁ ଆଗାମୀ ଦିନରେ ସୁନାରେ ନିବେଶ ବଢିବା ସହ ଦର ମଧ୍ୟ ବଢିବଢି ଚାଲିବ ବୋଲି ଡିଏଗୋ କହିଛନ୍ତି। ସେ ପୂର୍ବରୁ ମଧ୍ୟ ସ୍ୱର୍ଣ୍ଣଆଭୂଷଣ ବଜାରକୁ ନେଇ ଏପରି ପୂର୍ବାନୁମାନ କରିଥିଲେ ଓ ଯାହା ପରେ ପ୍ରମାଣିତ ମଧ୍ୟ ହୋଇଥିଲା। ସ୍ୱଭାବିକ ବଜାରରେ ସ୍ୱର୍ଣ୍ଣ ଆଭୂଷଣ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିଲା। ଏଣୁ ସୁନାରେ ନିବେଶ ଏବେ ନିବେଶକଙ୍କୁ ଉତ୍ତମ ପରିଣାମ ଦେବ ବୋଲି ସେ ଆକଳନ କରିଛନ୍ତି।

Show More

Related Articles

Back to top button