ବାଣିଜ୍ୟ

ପୁଣି ବଢ଼ିଲା କ୍ରୁଡ ଦର, ଦେଶରେ ପେଟ୍ରୋଲ ଓ ଡିଜଲ ମୂଲ୍ୟ ଅପରିବର୍ତ୍ତିତ ରଖିଛନ୍ତି OMC, ଜାଣନ୍ତୁ କାହିଁକି ?

ବୈଶ୍ୱିକ ବଜାରରେ ପୁଣି ଥରେ ଅଶୋଧିତ ତୈଳ ଦର ବୃଦ୍ଧି ହୋଇଛି । ତେବେ ଭାରତରେ ଅଏଲ ମାର୍କେଟିଂ କମ୍ପାନୀ (ଓଏମସି)ମାନେ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ସଂଶୋଧନ କରି ନାହାନ୍ତି।

ଫଳରେ ଲଗାତାର ୧୧ ଦିନ ଧରି ଗୁରୁବାର ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ଦେଶର ସର୍ବ ବୃହତ୍ତ ଖୁଚୁରା ତୈଳ ବିକ୍ରେତା ଇଣ୍ଡିଆନ ଅଏଲ କର୍ପୋରେସନ ଲି (ଆଇଓସିଏଲ)ଙ୍କ ଅନୁସାରେ ଗୁରୁବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟରପିଛା ୧୦୧ ଟଙ୍କା ୧୯ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟରପିଛା ୮୮ଟଙ୍କା ୬୨ ପଇସାରେ ବିକା ହେଉଛି। ଦେଶର ଅନ୍ୟ ସହରାଞ୍ଚଳରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ରହିଛି। ବୈଶ୍ୱିକ ତୈଳ ବଜାରରେ କ୍ରୁଡ ମୂଲ୍ୟ ଏବେ ତଳ ଉପର ହେଉଛି।

ଏଣୁ ଭାରତରେ ଓଏମସିମାନେ ଦର ସୁଧାର ପରିବର୍ତ୍ତେ ବୈଶ୍ୱିକ ତୈଳ ବଜାରର ସ୍ଥିତିକୁ ଏବେ ଅନୁଧ୍ୟାନ କରୁଛନ୍ତି। ଚଳିତବର୍ଷ ଏପ୍ରିଲ ମାସରୁ ଏପର୍ଯ୍ୟନ୍ତ ଓଏମସି ମାନେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୪୧ ଥର ବୃଦ୍ଧି କରିଛନ୍ତି। ଫଳରେ ପେଟ୍ରୋଲ ଓ ଡିଜେଲ ଦର ଐତିହାସିକ ସ୍ତରରେ ପହଞ୍ଚିଯାଇଛି। କିଛି ସପ୍ତାହ ପୂର୍ବରୁ ପ୍ରତି ବାରଲ କ୍ରୁଡ ୭୪ ଡଲାରକୁ ଛୁଇଁବା ପରେ ପୁଣି ଦର ହ୍ରାସ ହୋଇଥିଲା। ଏବେ ପୁଣି କ୍ରୁଡ ଦର ବଢିବାରେ ଲାଗିଛି। ଫଳରେ ବେଞ୍ଚମାର୍କ କ୍ରୁଡ ବାରଲ ପିଛା ଦର ୭୬ ଡଲାରରେ ପହଞ୍ଚିଛି। ତେବେ ଏହି ଦର ବେଶି ସମୟ ପର୍ଯ୍ୟନ୍ତ କାୟମ ରହି ନପାରେ ବୋଲି ଆକଳନ କରାଯାଉଛି। ଅଏଲ କାର୍ଟଲ ଓପେକ୍‌ ଓ ସହଯୋଗୀମାନେ କ୍ରମଶଃ ଉତ୍ପାଦନ ହାର ବଢାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏଣୁ ଓପେକ ସହଯୋଗୀ ଉତ୍ପାଦନ ବୃଦ୍ଧି କଲେ ବୈଶ୍ୱିକ ବଜାରରେ କ୍ରୁଡ ଦର ପୁଣି ହ୍ରାସ ହେବ।

Show More

Related Articles

Back to top button