ବାଣିଜ୍ୟ

ଓଡିଶା ଫେରିବ ପୋସ୍କୋ !

୫୨ ହଜାର ନୁହେଁ ଏତିକି ହଜାର କୋଟି ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ

ରାଜ୍ୟରେ ପୁଣି ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ପୋସ୍କୋ ମନ ବଳାଇଛି। ଏ ନେଇ ଗତକାଲି ଏକ ତ୍ରିପାକ୍ଷିକ ଆଲୋଚନା ହୋଇଛି। ଯେଉଁଥିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ସହିତ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ମଧ୍ୟ ସାମିଲ ହୋଇଥିଲେ। ଯେଉଁଥିରୁ ଆଭାସ ମିଳିଛି ଓଡ଼ିଶାରେ ସମନ୍ବିତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପୁଣି ଆଗ୍ରହ ପ୍ରକାଶ କରୁଛି ପୋସ୍କୋ।

ଓଡିଶାକୁ ପୁଣି ଫେରିପାରେ ପୋସ୍କୋ କଂପାନୀ । ଓଡିଶାରେ ଏକ ସମନ୍ବିତ ଷ୍ଟିଲ ପ୍ଲାଣ୍ଟ ଗଠନ ପାଇଁ ପୋସ୍କୋ ପୁଣି ଆଗ୍ରହୀ ବୋଲି ସୂଚନା ମିଳିଛି । ଦକ୍ଷିଣ କୋରିଆ ଓ ଓଡିଶା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନା ବେଳେ ଏପ୍ରସଙ୍ଗ ଆସିଛି ସାମ୍ନାକୁ । ଇପିକଲ୍ ସହାୟତାରେ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଦ୍ବାରା ଆୟୋଜିତ ଏକ ବୈଠକରେ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଭାରତରେ ଅବସ୍ଥାପିତ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍ ବୋଙ୍ଗ କିଲ୍ ଙ୍କ ଭିତରେ ଏନେଇ ଆଲୋଚନା ହୋଇଛି । ସମନ୍ବିତ ଇସ୍ପାତ ଶିଳ୍ପ ପାଇଁ ଦକ୍ଷିଣ କୋରିଆ ୯୦ ହଜାର କୋଟି ଟଙ୍କା ବିନିଯୋଗ କରିବ ବୋଲି ସଙ୍କେତ ମିଳିଛି । ଏହାହେଲେ ପସ୍କୋ ପ୍ରକଳ୍ପ ଦେଶରେ ସର୍ବବୃହତ ବିଦେଶି ପୁଞ୍ଜି ନିବେଶର ମାନ୍ୟତା ପାଇବ ବୋଲି କୁହାଯାଉଛି ।

୨୦୧୭ ରେ ପସ୍କୋ କଂପାନୀ ଓଡିଶା ପ୍ରକଳ୍ପରୁ ଓହରିଯିବା ଘୋଷଣା କରିଥିଲା । ପାରାଦୀପ ନିକଟରେ ପ୍ରାୟ ୫୨ ହଜାର କୋଟି ଟଙ୍କା ବିନିଯୋଗରେ ପୋସ୍କୋ ୧୨ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ ଶିଳ୍ପ ଗଢିବ ବୋଲି ସେତେବେଳେ ପ୍ରସ୍ତାବ ରହିଥିଲା। ଏଥିପାଇଁ ୨୦୦୫ ମସିହାରେ ରାଜ୍ୟ ସରକାରଙ୍କ ସର ଏମଓୟୁ କରିଥିଲା ପୋସ୍କୋ । ହେଲେ ଜମି ଅଧିଗ୍ରହଣ ସମସ୍ୟା ପାଇଁ ପ୍ରକଳ୍ପ ଅଧାରେ ଅଟକି ଯାଇଥିଲା । ଏଥିପାଇଁ ସରକାର ୨୭୦୦ ଏକର ଜମି ଅଧିଗ୍ରହଣ କରି ପୋସ୍କୋକୁ ପ୍ରଦାନ କରିଥିଲେ । କିନ୍ତୁ ପୋସ୍କୋ କଂପାନୀ ସରକାରଙ୍କୁ ଜମି ହସ୍ତାନ୍ତର କରି ସାଉଥ କୋରିଆ ପଳେଇଥିଲା ।

ଏବେ ପୁଣି ମନ ବଦଳାଇଛି ପୋସ୍କୋ । ତାହା ପୁଣି ୫୨ ହଜାର କୋଟି ନୁହେଁ ୯୦ ହଜାର କୋଟି ପୁଞ୍ଜି ନିବେଶର ପ୍ରତିଶୃତି ନେଇ। ରାଜ୍ୟ ସରକାର ଓ ପୋସ୍କୋ ଭିତରେ ପୁଣି ଷ୍ଟିଲ ପ୍ଲାଣ୍ଟ ନେଇ ଆଉ ଏକ ସମ୍ଭାବନା ସୃଷ୍ଟି ହୋଇଥିବା ଦେଖି ବିରୋଧି କହିଛନ୍ତି ଏହା ଲୋକ ଦେଖାଣିଆ ନହେଉ । ରାଜ୍ୟରେ ଥିବା ଅପାର ସମ୍ଭାବନାକୁ ଶିଳ୍ପ ଉପଯୋଗି କରାନ୍ତୁ ସରକାର । ସେପଟେ ଶାସକ ଦଳର ଯୁକ୍ତି ପୋସ୍କୋ ପାଇଁ ସରକାର ଅନେକ ସୁବିଧା ଯୋଗାଇ ଦେଇଥିଲେ । କିନ୍ତୁ ସେ ପଳାଇଗଲା । ଏବେ ଯଦି ଆସୁଛି ତାହାଲେ ସ୍ବାଗତ ଯୋଗ୍ୟ ।

ବିଶ୍ବର ପରିବର୍ତିତ ରାଜନୀତି ଓ ଅର୍ଥନୈତିକ ପରିସ୍ଥିତିରେ ଦକ୍ଷିଣ କୋରିଆ ଓ ଭାରତ ମଧ୍ୟରେ ବାଣିଜ୍ୟିକ କାରବାର ବଢିବାରେ ଲାଗିଛି । ଏତିକିବେଳେ ପୁଣି ଦକ୍ଷିଣ କୋରିଆ ଭାରତରେ ଇସ୍ପାତ ଶିଳ୍ପରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ଦେଖାଇବା ଓଡିଶା ପାଇଁ ଶୁଭ ସଙ୍କେତ ସୃଷ୍ଟି କରିଛି।

Show More

Related Articles

Back to top button