ପୁଣି ୧୫ ଦିନ ବଢ଼ିଲା ଲକ୍ଡାଉନ ଅବଧି
ସ୍ବାସ୍ଥ୍ୟ ମନ୍ତ୍ରୀ କହିଲେ- ମେ’ ପହିଲାରୁ ଟିକାକରଣ ମୁସ୍କିଲ

ଆହୁରି ୧୫ ଦିନ ବଢ଼ିଲା ଲକ୍ଡାଉନ ଅବଧି । ଏପ୍ରିଲ ୩୦ରେ ଲକ୍ଡାଉନ୍ ଅବଧି ଶେଷ ହେବାକୁ ଥିବା ବେଳେ ସରକାର ଏହାକୁ ମେ ୧୫ ପର୍ଯ୍ୟନ୍ତ ବଢ଼ାଇଦେଇଥିବା ଜଣାପଡ଼ିଛି । ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଚାଲିଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ୍ତ। ଏହାକୁ ନଜରରେ ରଖି ରାଜ୍ୟରେ ଲକ୍ଡାଉନ୍ ଲଗାଇଥିଲେ ସରକାର। ପୁଣି ଥରେ ଏହି ଲକ୍ଡାଉନ୍ ଅବଧି ବଢ଼ିଛି।ମହାରାଷ୍ଟ୍ରର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ବୁଧବାର ଦିନ କହିଛନ୍ତି କରୋନା ସଂକ୍ରମଣକୁ ନଜରରେ ରଖି ଲକ୍ଡାଉନ୍ କଟକଣା ଆହୁର ୧୫ ଦିନ ଅର୍ଥାତ ମେ ୧୫ ପର୍ଯ୍ୟନ୍ତ ବଢ଼ାଯାଇଛି। ମହାରାଷ୍ଟ୍ରରେ ଏବେ ସମସ୍ତ ପ୍ରକାର ଜରୁରୀ ସେବାକୁ ଛାଡ଼ି ଆଉ ସବୁ ବନ୍ଦ। ଏହାକୁ ରାଜ୍ୟ ସରକାର ଲକ୍ଡାଉନ୍ର ନାଁ ଦେଇନାହାନ୍ତି ସତ କିନ୍ତୁ କଟକଣା ଠିକ୍ ଲକ୍ଡାଉନ୍ ଭଳି ଲାଗିଛି ।
୩୦ ଏପ୍ରିଲ୍ରୁ ପୁଣି ଥରେ ଲକ୍ଡାଉନ୍ ଭଳି କଟକଣା ମେ ୧୫ ଯାଏ ଜାରି ରହିବ ବୋଲି ରାଜେଶ ଟୋପେ କହିଛନ୍ତି।ଏହା ସହ ଟିକାକରଣକୁ ନେଇ ଟୋପେ କହିଛନ୍ତି, ମେ ପହିଲାରୁ ୧୮-୪୪ ବର୍ଷୀୟଙ୍କ ଟିକାକରଣ ହୋଇପାରିବ ନାହିଁ। କାରଣ ରାଜ୍ୟରେ ଭ୍ୟାକ୍ସିନ୍ ପହଞ୍ଚିନାହିଁ ବୋଲି ସେ କହିଛନ୍ତି। ଟିକାକରଣ ପାଇଁ ଭିତ୍ତିଭୂମି ଥିବା ବେଳେ ଟିକା ମହଜୁଦ ନାହିଁ। ଟିକା ନିର୍ମାତା କମ୍ପାନୀଙ୍କ ସହ ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଲୋଚନା କରୁଛନ୍ତି। ଟିକାକରଣ ପଇଁ ଟିକାର ଉପଲବ୍ଧତା ଆହ୍ବାର୍ଣ୍ଣପୂର୍ଣ୍ଣ ବୋଲି ରାଜେଶ ଟୋପେ କହିଛନ୍ତି। ମହାରାଷ୍ଟ୍ରରେ କରୋନା ପ୍ରଭାବ ଅଧିକ ଥିବା ବେଳେ ପ୍ରତି ଦିନ ୬୦ ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଛନ୍ତି। ମଙ୍ଗଳବାର ରାଜ୍ୟରେ ୬୬,୩୫୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୯୫ ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ରରେ ସକ୍ରିୟ ମାମଲା ୬ ଲକ୍ଷରୁ ଅଧିକ ରହିଛି ।