ବଲିଉଡମନୋରଞ୍ଜନ

ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ବିଦେଶ ଗସ୍ତରେ ଲାଗିଲା ରୋକ୍

୨୦୦ କୋଟି ଠକେଇ ମାମଲା

ମୁମ୍ବାଇ ବିମାନବନ୍ଦରରୁ ଘରକୁ ଫେରିଲେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ । ବିମାନବନ୍ଦରରେ ଅଟକ ରଖିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେ ଦୁବାଇରେ ଏକ ଶୋ’ରେ ଯୋଗଦେବାକୁ ଯାଉଥିଲେ । କୁଖ୍ୟାତ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ଲିଙ୍କ୍‌ ଜଣାପଡିବା ପରେ ତାଙ୍କୁ ଅଟକ ରଖାଯାଇଛି । ପୂର୍ବରୁ ଜ୍ୟାକଲିନ୍‌ଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରାଯାଇଥିଲା । ସେ ଦୁବାଇ ଯିବା ଲାଗି ବିମାନବନ୍ଦରରେ ପ୍ରସ୍ତୁତ ହେଉଥିଲା ବେଳେ ତାଙ୍କୁ ଜଣେ ଇମିଗ୍ରେସନ ଅଧିକାରୀ ଅଟକାଇଥିଲେ । ତାଙ୍କ ବିରୋଧରେ ଇଡି ପକ୍ଷରୁ ଲୁକ୍‌ ଆଉଟ ନୋଟିସ୍‌ ଜାରି କରାଯାଇଥିବା ସୂଚନା ଦିଆଯାଇଥିଲା । ଏଥିସହ ସମ୍ପୃକ୍ତ ଅଧିକାରୀ ଜଣକ ଇଡିକୁ ସୂଚନା ଦେଇଥିଲେ । ଇଡି ଅଧିକାରୀମାନେ ପହଞ୍ଚି ତାଙ୍କୁ ସେଠାରୁ ଘରକୁ ଫେରାଇ ଦେଇଛନ୍ତି ।

ତାଙ୍କୁ ପୁଣି ଥରେ ଇଡି ଜେରା କରିବ । ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଚନ୍ଦ୍ରଶେଖର ଓ ଅନ୍ୟମାନଙ୍କ ବିରୋଧରେ ଇଡି ପକ୍ଷରୁ ଦିଲ୍ଲୀ କୋର୍ଟରେ ଚାର୍ଜସିଟ୍‌ ଦାଖଲ ହୋଇଛି । ତିହାର ଜେଲ୍‌ରେ ଥିବା ବେଳେ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ଚନ୍ଦ୍ରଶେଖର ୨୦୦ କୋଟି ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଛି । ଚନ୍ଦ୍ରଶେଖରଙ୍କ ସହିତ ଜ୍ୟାକଲିନ୍‌ଙ୍କ ଆର୍ଥିକ କାରବାର ହୋଇଥିବାର ଇଡି ତଦନ୍ତରୁ ଜାଣିବାକୁ ପାଇଥିଲା । ଏପରିକି ଜ୍ୟାକଲିନ୍‌ଙ୍କୁ ୧୦ କୋଟି ଟଙ୍କାର ବିଭିନ୍ନ ଉପହାର ମଧ୍ୟ ଚନ୍ଦ୍ରଶେଖର ଦେଇଛି । ଏହି ଉପହାର ମଧ୍ୟରେ ରହିଛି ୫୨ ଲକ୍ଷ ଟଙ୍କାର ଏକ ଘୋଡା ଓ ୯ ଲକ୍ଷ ଟଙ୍କାର ଏକ ପର୍ସିଆନ ବିଲେଇ । ସେହିଭଳି ଏହି ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କ ନାମ ସାମ୍‌ନାକୁ ଆସିଛି । ନୋରାଙ୍କୁ ଚନ୍ଦ୍ରଶେଖର ଏକ ଦାମୀ କାର୍‌ ଉପହାର ଦେଇଥିବା ଜେରା ବେଳେ ପ୍ରକାଶ କରିଥିଲା । ପୂର୍ବରୁ ନୋରାଙ୍କୁ ଇଡି ଜେରା କରିସାରିଛି ।

Show More

Related Articles

Back to top button