Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ଗ୍ରୀନ ସିଗନାଲ୍, ଜୁନ୍‌ ୧ରୁ ଆରମ୍ଭ ହେବ କାମ

ଶ୍ରୀମନ୍ଦିର ଐତିହ୍ୟ କରିଡର ସଂକ୍ରାନ୍ତ ନକ୍ସା ତଥା ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇ ଅନୁମୋଦନ ପାଇଛି। ଆସନ୍ତା ଜୁନ୍‌ ୧ରୁ ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ ହେବ। ସୋମବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିର ଐତିହ୍ୟ କରିଡର ସଂକ୍ରାନ୍ତ ନକ୍ସା ତଥା ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇ ଅନୁମୋଦନ ପାଇଛି। ଆସନ୍ତା ଜୁନ୍‌ ୧ରୁ ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ ହେବ। ସୋମବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ଐତିହ୍ୟ କରିଡର ଚୂଡ଼ାନ୍ତ ନକ୍ସାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଲାଗିକରାଯାଇଥିଲା। ପରେ ବୈଠକରେ ଏହାର ରୂପରେଖ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ଶ୍ରୀମନ୍ଦିର ପରିଚାଳନା କମିଟି ମାଧ୍ୟମରେ ଅନୁମୋଦନ ଦିଆଯାଇଥିଲା।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମଞ୍ଚାସୀନ ଥିଲେ। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ହେରିଟେଜ କରିଡରକୁ ୯ଟି ସୋପାନରେ ବିଭକ୍ତ କରାଯିବ। ଗ୍ରୀନ୍‌ ବଫର ବଳୟ, ଅନ୍ତଃପ୍ରଦକ୍ଷିଣ ରାସ୍ତା, ଲ୍ୟାଣ୍ଡସ୍କେପ ଜୋନ୍‌, ବାହ୍ୟ ପ୍ରଦକ୍ଷିଣ ରାସ୍ତା, ପବ୍ଲିକ୍‌ କନ୍‌ଭିନିଏନ୍ସ ଜୋନ୍‌, ସର୍ଭିସ୍‌ ଲେନ୍‌ ଓ ସଟଲ୍‌ କମ୍‌ ଏମରଜେନ୍ସି ଲେନ୍‌, ମିଶ୍ର ଟ୍ରାଫିକ୍‌ ଲେନ୍‌ ଓ ଜେବ୍ରା କ୍ରସିଂ ଭଳି ପେଡେଷ୍ଟ୍ରିଆନ୍‌ ଚଲାପଥ ଆଦି ସୋପାନ ରହିବ। ମେଘନାଦ ପାଚେରିକୁ ଲାଗି ଦୁଇମିଟର ଚଉଡ଼ା ରାସ୍ତା ଶ୍ରୀମନ୍ଦିର କର୍ମଚାରୀଙ୍କ ଚଲାବୁଲା ଓ ପାଚେରି ମରାମତି ପାଇଁ ଛଡ଼ାଯିବ। ଗ୍ରୀନ୍‌ ବଫର୍‌ ଜୋନ୍‌ର ବଳକା ୫ ମିଟର ଜାଗାରେ ୧ ଫୁଟ୍‌ ଉଚ୍ଚତାର ଲ୍ୟାଣ୍ଡସ୍କେପ ପାହାଚମାନ ପ୍ରସ୍ତୁତ ହେବ। ଏହି ଖସଡ଼ାକୁ ଫୁଲ ମାଧ୍ୟମରେ ସୁସଜ୍ଜିତ କରି ରଖାଯିବ। ୧୦ ମିଟର ଅନ୍ତଃ ପ୍ରଦକ୍ଷିଣ ଜୋନ୍‌କୁ ଶ୍ରଦ୍ଧାଳୁଙ୍କ ଚଲାପଥ ଭାବେ ବ୍ୟବହାର କରାଯିବ। ଶ୍ରୀମନ୍ଦିର ଉତ୍ସବ ବେଳେ ଚଳପ୍ରଚଳ ପାଇଁ ଓ ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିବା ପାଇଁ ଏହି ଜୋନ୍‌ ବ୍ୟବହାର କରାଯିବ। ସେହିଭଳି ୧୪ ମିଟରର ଲ୍ୟାଣ୍ଡସ୍କେପ ଜୋନ୍‌ରେ ଏକ ବିରାଟ ଉଦ୍ୟାନ ପ୍ରସ୍ତୁତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଥିବା ଉଦ୍ଭିଦମାନ ଉକ୍ତ ଜୋନ୍‌ରେ ଦେଖିବାକୁ ମିଳିବ। ବାହ୍ୟ ପ୍ରଦକ୍ଷିଣ ଜୋନ୍‌ରେ କେବଳ ବଡ଼ ବଡ଼ ବୃକ୍ଷରୋପଣ କରାଯିବ। ଏହାର ଛାଇ ଶ୍ରଦ୍ଧାଳୁଙ୍କୁ ଆରାମ ଦେବ। ସେହିଭଳି ୧୦ ମିଟର ବିଶିଷ୍ଟ ପବ୍ଲିକ୍‌ କନଭିନିଏନ୍ସ ଜୋନ୍‌ରେ ଭକ୍ତଙ୍କ ପାଇଁ ସବୁ ପ୍ରକାର ସୁବିଧା ରହିବ। ବିଶ୍ରାମ ଗୃହ, ପାନୀୟଜଳ, ସୂଚନା କେନ୍ଦ୍ର ଓ ଦାନାର୍ଥ ଗ୍ରହଣ କେନ୍ଦ୍ର ଏଠାରେ ରହିବ। ସେହିଭଳି ୫ ମିଟର ବିଶିଷ୍ଟ ଏକ ସେବା ଲେନ୍‌ ଓ ୪.୫ ମିଟର ଚଉଡ଼ା ଅଞ୍ଚଳକୁ ଜରୁରିକାଳୀନ ସ୍ଥିତିରେ ବ୍ୟବହାର କରାଯିବ। ଏହାପରେ ୭.୫ ମିଟର ଟ୍ରାଫିକ୍‌ ଲେନ୍‌ ଦେଖିବାକୁ ମିଳିବ। ଏଠାରେ ଯାନବାହନ ଚଳାଚଳ ଲାଗି ବ୍ୟବସ୍ଥା ସହ ଟ୍ରାଫିକ୍‌ ଲେନକୁ ଶ୍ରୀମନ୍ଦିର ପାଖ ସାହିଗୁଡ଼ିକ ସହ ସଂଯୋଗ କରାଯିବ। ଶେଷରେ ୭ ମିଟର ଲମ୍ବା ଚଲାପଥ ଓ ଏହାକୁ ଲାଗି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଉଦ୍ଦେଶ୍ୟରେ ପାର୍କିଂ ବ୍ୟବସ୍ଥା ରହିବ। ହେରିଟେଜ୍‌ ପୂର୍ବାଞ୍ଚଳରେ ଏକ ବିଶାଳ ଖୋଲା ସ୍ଥାନ ଛଡ଼ାଯିବ। ରଥଯାତ୍ରା ଏବଂ ଅନ୍ୟ ପର୍ବପର୍ବାଣୀ ସମୟରେ ଶ୍ରୀଜୀଉଙ୍କ ନୀତିକାନ୍ତି ଲାଗି ଏହାକୁ ବ୍ୟବହାର କରାଯିବ। ଏଠାରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏକାଠି ହୋଇପାରିବେ।

Show More

Related Articles

Back to top button