ଦେଶ ବିଦେଶ

୨୪ ଘଣ୍ଟାରେ ଦେଶରେ ୨ଲକ୍ଷ ୬୧ହଜାର ୫୦୦ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଲେଉଟାଣି କରୋନାର ଭୟଙ୍କର ରୂପ । ଦୃତ ଗତିରେ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । କମ୍ ପଡିଲାଣି ବେଡ୍ , ଅକ୍ସିଜେନର ଘୋର ଅଭାବ । ସାରା ଦେଶକୁ କରୋନା କଲବଲ କରୁଥିବାବେଳେ ୧୨ ରାଜ୍ୟରେ ସ୍ଥିତି ଭୟାନକ ରହିଛି । ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ, ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ମଧ୍ୟପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବିଭିନ୍ନ ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନର ଅଭାବ ଦେଖାଦେଇଛି । ମଧ୍ୟ ପ୍ରଦେଶର ଏକ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୨୦ ଜଣକ ମୃତ୍ୟ ହୋଇଛି । ସ୍ଥାନୀୟ ସରକାରଙ୍କ ଅବହେଳା ପାଇଁ ଜୀବନ ଯାଇଥିବା କହିଛନ୍ତି ମୃତକଙ୍କ ସମ୍ପର୍କୀୟ । ଏଭଳିକି ଭୋପାଳର ଅନେକ ହସ୍ପିଟାଲରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ମହାମାରୀ ସମୟରେ ଔଷଧର କଳାବଜାରୀ ହେଉଥିବା ଅଭିଯୋଗ ଆସିଛି । ସେହିଭଳି ଉତ୍ତର ପ୍ରଦେଶରେ ସ୍ଥିତି ଭୟାନକ ଥିବାବେଳେ ବାରଣାସୀର ହରିଶ୍ଚନ୍ଦ୍ର ଘାଟରେ ଅହରହ ଜୁଇ ଜଳୁଛି । ମଶାଣି ହିଁ ବୟାନ କରୁଛି ଉତ୍ତରପ୍ରଦେଶରେ ଏବେ କରୋନା ସ୍ଥିତି କେତେ ଭୟଙ୍କର ରହିଛି । ବାରଣାସୀରେ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ।

ରାଜଧାନୀ ଦିଲ୍ଲୀରେ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଅଧିକ ସଂଖ୍ୟାରେ ବେଡ୍ ଓ ଅକ୍ସିଜେନ୍ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ୧୦ ରାଜ୍ୟରୁ ଆସିଛି ୮୩ ପ୍ରତିଶତ ମୃତ୍ୟୁ ମାମଲା । ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ବିଶେଷଜ୍ଞ । ଆଗାମୀ ୧୫ ଦିନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ତେଣୁ ସରକାରଙ୍କ ସହ ଜନସାଧାରଣ ଏଥି ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଗତ ୨୪ ଘଣ୍ଟାରେ ଦେଶରେ ୨ଲକ୍ଷ ୬୧ହଜାର ୫୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧ ହଜାର ୫୦୧ ଜଣଙ୍କ ଜୀବନ ନେଇଛି ମହାମାରୀ । ସେପଟେ ଟିକାକରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ବଡ ସଫଳତା ମିଳିପାରି ନାହିଁ । ଏଯାବତ୍ ୧୨ କୋଟି ୨୬ ଲକ୍ଷ ୨୨ ହଜାର ଲୋକ ଟିକା ନେଇଛନ୍ତି । ଯାହାକି ମୋଟ ଜନସଂଖ୍ୟାର ୧୦ ପ୍ରତିଶତରୁ କମ ଅଟେ ।

Tags
Show More

Related Articles

Leave a Reply

Your email address will not be published. Required fields are marked *

Back to top button
Close