
ଓଲିଉଡ ଅଭିନେତା ଶ୍ରୀତମ ଦାସ ସୁଟିଂ ବେଳେ ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ବାଙ୍କୀରେ ଫିଲ୍ମ ‘ନବକଳେବର’ ର ସୁଟିଂ ଚାଲିଥିବା ବେଳେ ସେଟରେ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଶ୍ରୀତମ ସୁଟିଂ କରୁଥିବା ବେଳେ ଏକ ଘୋଡାରୁ ଖସି ପଡିଥିଲେ। ସେଥିରେ ତାଙ୍କର ଡାହାଣ ହାତରେ ଆଘାତ ଲାଗିଥିଲା। ସେଠାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିବାର ଜଣା ପଡିଛି। ତାଙ୍କ ହାତର ପ୍ଲାଷ୍ଟର ହୋଇଥିବା ବେଳେ ଆଜି ଅସ୍ତ୍ରୋପ୍ରଚାର ହେବାର ସମ୍ଭାବନା ରହିଛି। ତାଙ୍କ ଶରୀରର ଅନ୍ୟ ଅଙ୍ଗ ଗୁଡିକରେ ଆଘାତ ଲାଗିଥିଲେ ମଧ୍ୟ ସେ ବର୍ତ୍ତମାନ ବିପଦ ମୁକ୍ତ ଥିବା ଜଣାପଡିଛି। ଶ୍ରୀତମଙ୍କ ଅନେକ ଶୁଭଚ୍ଛୁ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଶ୍ରୀତମ ଦାସ ହେଉଛନ୍ତି ଓଲିଉଡ ଜଗତର ଜଣେ ଜଣାଶୁଣା ନାଁ। ଓଡ଼ିଆ ଅଭିନେତା ଓ ନିର୍ଦ୍ଦେଶକ ଭାବେ ସେ ଖୁବ୍ ଖ୍ୟାତି ଅର୍ଜନ କରିଛନ୍ତି। ସେ ୬୦ରୁ ଉର୍ଦ୍ଧ ଓଡ଼ିଆ ଫିଲ୍ମରେ ଅଭିନୟ କରିସାରିଛନ୍ତି । ତାଙ୍କର ଜନ୍ମ ଓଡ଼ିଶାର କଟକରେ ହୋଇଥିଲା । ସେ ୧୯୯୫ରେ ପ୍ରଥମେ ଓଡ଼ିଆ ସିନେମା ‘ସାବିତ୍ରୀ’ରେ ଅଭିନେତା ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏଯାବତ ଅନେକ ସଫଳ ସିନେମାରେ ସେ ଅଭିନୟ କରିଛନ୍ତି । ‘ତୁ ଥାଆ ମୁଁ ଯାଉଚି ରୁଷି’ରେ କାହାଣୀକାର, ନିର୍ଦ୍ଦେଶକ ଓ ଅଭିନେତା ଭାବରେ କାମ କରିସାରିଛନ୍ତି । ଗତ ପୌର ନିର୍ବାଚନରେ ଶ୍ରୀତମ ଦାସ୍ କଟକରୁ ବିଜେପିର ମେୟର ପ୍ରାର୍ଥୀ ପାଇଁ ନିର୍ବାଚନ ଲଢିଥିଲେ। କିନ୍ତୁ ହାରି ଯାଇଥିଲେ।