Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଆଇପିଏଲ ମହାମୁକାବିଲାରେ ଆଜି ମୁହାଁମୁହିଁ ହେବେ କେକେଆର ଓ ମୁମ୍ୱାଇ ଇଣ୍ଡିଆନ୍ସ

ଡେଥ୍ ଓଭରରେ ଚମତ୍କାର ପ୍ରଦର୍ଶନ କରିବା ସହ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ଏବଂ ବୋଲରଙ୍କ ଉପସ୍ଥିତିରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ଦିନ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷରେ ପଡିଆକୁ ଓହ୍ଲାଇବ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଏହି ମ୍ୟାଚରେ ବିଜୟ ପାଇଁ ଦୁଇ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ

ଡେଥ୍ ଓଭରରେ ଚମତ୍କାର ପ୍ରଦର୍ଶନ କରିବା ସହ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ଏବଂ ବୋଲରଙ୍କ ଉପସ୍ଥିତିରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ଦିନ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷରେ ପଡିଆକୁ ଓହ୍ଲାଇବ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଏହି ମ୍ୟାଚରେ ବିଜୟ ପାଇଁ ଦୁଇ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ । ଗତ ଚାରିଟି ମ୍ୟାଚ୍‌ରେ ମୁମ୍ବାଇ ଭଲ ପ୍ରଦର୍ଶନ କରିଥିବାବେଳେ କେକେଆର ଏହାର ବିପରୀତ ପ୍ରଦର୍ଶନ ଜାରି ରଖିଛି । କେକେଆର ଖେଳିଥିବା ତାର ପୂର୍ବ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ 82 ରନର ବଡ ବ୍ୟବଧାନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା |

ତେବେ କୋଲକାତାର ମୁଖ୍ୟ ସ୍ପିନର ସୁନୀଲ ନାରେନ କେକେଆର ପାଇଁ ଆଜିର ମ୍ୟାଚ ଖେଳିବାକୁ ସକ୍ଷମ ହେବେ କି ନାହିଁ ତାହା ଏକ ବଡ଼ ପ୍ରଶ୍ନ । ଅବୈଧ ବୋଲିଂ ଆକ୍ସନ୍ ସନ୍ଦେହରେ ଏହି ୱେଷ୍ଟଇଣ୍ଡିଜ୍ ସ୍ପିନରଙ୍କୁ ଚେତାବନୀ ଦିଆଯାଇଛି । ସେ ଗତ ଆରସିବି ବିପକ୍ଷ ମ୍ୟାଚରେ ଖେଳି ନାହାଁନ୍ତି ଏବଂ କେକେଆର ତାଙ୍କ ମାମଲାରେ ଶୀଘ୍ର ସମାଧାନ ହୋଇଯାଉ ସେ ନେଇ ବିସିସିଆଇକୁ ମଧ୍ୟ ଜଣାଇଛି । ଯଦି ନାରେନ୍ ଆଜିର ମ୍ୟାଚ ବି ନ ଖେଳନ୍ତି ତେବେ ମୁମ୍ୱାଇର ବିଜୟ ହେବା ଆଶା ବଢିଯିବ । ଆଜିର ଏହି ମ୍ୟାଚ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଚଳିତ ଆଇପିଏଲରେ ଉଭୟ ଅର୍ଦ୍ଧଶତକ ଏହି ଷ୍ଟାଡିୟମରେ ହାସଲ କରିଛନ୍ତି | ରୋହିତଙ୍କ(216) ବ୍ୟତୀତ ଅନ୍ୟ ମୁମ୍ବାଇର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ମାନେ ମଧ୍ୟ ଭଲ ଫର୍ମରେ ଅଛନ୍ତି। କ୍ୱିଣ୍ଟନ୍ ଡେକକ୍ (191 ରନ୍) ଏବଂ ସୂର୍ଯ୍ୟକୁମାର ଯାଦବ (223 ରନ୍) ସେମାନଙ୍କର ଭଲ ପ୍ରଦର୍ଶନ ଜାରି ରଖିବାକୁ ଚେଷ୍ଟା କରିବେ | ଇଶାନ କିଶନ (186 ରନ୍) ଆରସିବି ବିପକ୍ଷରେ 99 ରନ୍ ସ୍କୋର କରିଥିଲେ କିନ୍ତୁ ତାଙ୍କୁ ତାଙ୍କର ଭଲ ଆରମ୍ଭକୁ ଏକ ବଡ଼ ସ୍କୋରରେ ପରିଣତ କରିବା ଆବଶ୍ୟକ |

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କିରନ୍ ପୋଲାର୍ଡଙ୍କ ବ୍ୟତୀତ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଦ୍ରୁତ ରନ୍ ସ୍କୋର କରିବାର କ୍ଷମତା ପ୍ରଦର୍ଶନ କରିଛନ୍ତି। ଏଭଳି ପରିସ୍ଥିତିରେ ସେ ନାରେନଙ୍କ ଅନୁପସ୍ଥିତିରେ ଦୁର୍ବଳ କେକେଆର ବୋଲିଂ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ବୋଲିଂ ବିଭାଗରେ ମୁମ୍ବାଇର ଦଳର ମଧ୍ୟ କୌଣସି ଅସୁବିଧା ନାହିଁ । ଟ୍ରେଣ୍ଟ ବୋଲ୍ଟ ଏବଂ ଜସପ୍ରୀତ ବୁମ୍ରା ଆରମ୍ଭରେ ୱିକେଟ୍ ନେଉଥିବାବେଳେ ଅଷ୍ଟ୍ରେଲିଆର ଜେମ୍ସ ପାଟିନ୍ସନ୍ ସେମାନଙ୍କୁ ଭଲ ସମର୍ଥନ କରୁଛନ୍ତି । ସ୍ପିନର ରାହୁଲ ଚହର ଏବଂ କ୍ରୁନାଲ କେକେଆର ବ୍ୟାଟ୍ସମ୍ୟାନଙ୍କୁ ବଡ ସଟ୍ ଖେଳିବାରୁ ରୋକିବାକୁ ଚେଷ୍ଟା କରିବେ।

କେକେଆରର ସବୁଠାରୁ ବଡ ସମସ୍ୟା ହେଉଛି ଏହାର ବ୍ୟାଟ୍ସମ୍ୟାନମାନେ କ୍ରମାଗତ ଭାବେ ସ୍ଥିର ପ୍ରଦର୍ଶନ ଦେବାରେ ବିଫଳ ହେଉଛନ୍ତି । ଆଣ୍ଡ୍ରେ ରସେଲଙ୍କ ଖରାପ ଫର୍ମ ଦଳ ପାଇଁ ସବୁଠୁ ବଡ ଚିନ୍ତାର ବିଷୟ | ରସେଲ ଏପର୍ଯ୍ୟନ୍ତ ସାତୋଟି ମ୍ୟାଚ୍‌ରେ ମାତ୍ର 71 ରନ୍ ସଂଗ୍ରହ କରିଛନ୍ତି । କୋଲକାତା ଦଳରେ ମଧ୍ୟ ଏପରି ଅନେକ ବ୍ୟାଟ୍ସମ୍ୟାନ୍ ମଧ୍ୟ ଅଛନ୍ତି ଯେଉଁମାନେ କୌଣସି ବୋଲିଂ ଆକ୍ରମଣ ବିରୁଦ୍ଧରେ ରନ୍ ସଂଗ୍ରହ କରିପାରିବେ ସେମାନଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ଭାରତର ଭବିଷ୍ୟତ କୁହାଯାଉଥିବା ଶୁବମାନ ଗିଲ, ଇଂଲଣ୍ଡ ବିଶ୍ୱକପ ବିଜେତା ଅଧିନାୟକ ଆୟୋନ ମୋର୍ଗାନ, ନୀତୀଶ ରାଣା ଏବଂ ଅଧିନାୟକ ଦୀନେଶ କାର୍ତ୍ତିକ କିନ୍ତୁ ଅଳ୍ପ କିଛି ମ୍ୟାଚ ବ୍ୟତୀତ ଅନ୍ୟ ପ୍ରାୟ ସମସ୍ତ ମ୍ୟାଚରେ ଏହି ଖେଳାଳି ମାନଙ୍କ ବ୍ୟାଟ ପ୍ରାୟ ଶାନ୍ତ ରହିଛି ।

କିଙ୍ଗସ ଏକାଦଶ ପଞ୍ଜାବ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ବିଜୟରେ କେକେଆର ବୋଲରମାନେ ଭଲ ଭୂମିକା ଗ୍ରହଣ କରିଥିଲେ କିନ୍ତୁ ସେମାନେ ଆରସିବି ବିପକ୍ଷରେ ପ୍ରଭାବହୀନ ଜଣାପଡିଥିଲେ । ଏହି ମ୍ୟାଚ୍‌ରେ ପ୍ୟାଟ୍ କମିନ୍ସ 38 ରନ୍ ଓ ପ୍ରସିଦ୍ଧ କୃଷ୍ଣନ୍ 42 ରନ୍ ବିନିଯୋଗ କରିଥିଲେ । ଆଜିର ମ୍ୟାଚରେ ଯଦି ମୁମ୍ୱାଇକୁ ପରାଜିତ କରିବାକୁ ହେବ ତେବେ ସେମାନେ ନିଜର ପୂର୍ବ ପ୍ରଦର୍ଶନକୁ ଭୁଲି ଫର୍ମକୁ ଫେରିବାକୁ ପଡିବ | କେବଳ ଏତିକି ନୁହେଁ, କେକେଆର୍ କୁଲଦୀପ ଯାଦବଙ୍କୁ ତୃତୀୟ ସ୍ପିନ୍ ବୋଲର ଭାବେ ସୁଯୋଗ ଦେଇପାରେ। ଗତ ତିନୋଟି ମ୍ୟାଚ୍‌ରେ ତାଙ୍କୁ ଖେଳାଯାଇ ନଥିଲା । ତେବେ ଆଜି ଯଦି ତାଙ୍କୁ ଖେଳାଯିବ ତେବେ ନବାଗତ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ସହିତ ସେ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରିବେ |

Show More

Related Articles

Back to top button